“ଶୁଭିର ରାକ୍ଷୀ” ଭାଇ ଆଉ ଭଉଣୀର ଭଲ ପାଇବାକୁ ନେଇ ଏକ ଛୋଟ ଗଳ୍ପ ଟିଏ। ଏଇ କାହାଣୀଟି ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ।
ଶୁଭିର ରାକ୍ଷୀ
ଅଶୋକ ଭାଇ… ଅଶୋକ ଭାଇ… ଡାକରେ ସାରା ଘର ଆଜି ଫାଟି ପଡୁ ଥାଏ। କୁଆଡେ ଗଲୁ ରେ ତୁ ଅଶୋକ ଭାଇ? କେଉଁଠି ଅଛୁରେ? ଦେଖ ମୋ ସହ ଆଉ ମସ୍ତି କରେନି କହୁଛି, ନ ହେଲେ ଦେଖିବୁ ମୁଁ କଣ କରିବି? ଆରେ କହ ରେ ଅଶୋକ ଭାଇ କେଉଁଠି ଅଛୁ ତୁ? ଦେଖ ଆଉ ଲୁଚି ରହନା, ମୋ ପାଇଁ ଯାହା ଉପହାର ଆଣିଛୁ ଶୀଘ୍ର ନେଇ ଆସେ। ମୁଁ ତୋ ହାତରେ ରାକ୍ଷୀ ବାନ୍ଧିବି ଆଉ ଉପହାର ନେବି। ତଥାପି ଅଶୋକ ସେ ସବୁ କିଛି ନ ଶୁଣି ଲୁଚି ଦେଖୁ ଥାଏ ତା ଅଲିଅଳି ଭଉଣୀର ସ୍ନେହର ବିବ୍ରତାକୁ। ହାତରେ ସାଜସଜ୍ଜା ରାକ୍ଷୀ ଥାଳି ଧରି ଏପଟେ ସେପଟେ ହୋଇ ଶେଷରେ ଶୁଭି ରାଗି ଯାଇ ଏକାବେଳେ ଚୁପ୍ ହୋଇ ଅଗଣା ମଝିରେ ବସି ପଡ଼ି ଗୁଣୁଗୁଣୁ ହୋଇ କହି ଚାଲିଲା “ଆଜି ସେ ଆସୁ, ତା ହାତରେ ଜମା ରାକ୍ଷୀ ବାନ୍ଧିବି ନାହିଁ। ସାହିଟା ଯାକର ଭାଇ ମାନେ ଭଉଣୀ ହାତରୁ ରାକ୍ଷୀ ବାନ୍ଧି ଥିବେ ଆଉ ୟାର ହାତ ଖାଲି ଥିବ ସେତେବେଳେ ସେ ବୁଝିବ ମୋ ସହ ଲୁଚକାଳିର ଫଳ କଣ?” ଏମିତି କହି କହି ମୁହଁ ମୋଡି ରାଗ ତମ ତମ ହୋଇ ବସି ରହିଲା ଶୁଭି। ଘରର ଅନ୍ୟ ମାନେ ଏ ସବୁ ଦେଖି ମନେ ମନେ ଖୁସି ହୁଅନ୍ତି। ନା ଶୁଭି ଆଉ ପାରିଲାନି ଶେଷରେ ତାର ଆଖିରୁ ଧାର ଧାର ହୋଇ ଲୁହ ବୋହି ଆସିଲାଣି। ଲୁହର ବନ୍ୟା ଆସିବା ପୂର୍ବରୁ ଅଶୋକ ଶେଷରେ ଧିରେ ଧିରେ ଆସି ଶୁଭିକୁ ପଛ ପଟୁ ଜାବୁଡି ଧରି ତାକୁ ଚମକେଇ ଦେଲା। ଓହଃ, ମୋ ଗେହ୍ଲି ଭଉଣୀ ଡରି ଗଲା କି? ଇସ୍ କି ଲୁହ ଆଉ ନାକରୁ ବି? ହାଃ ହାଃ ହାଃ ହାଃ….
ଦେଖ ଦେଖ ଆମ ନାକ କାନ୍ଦୁରୀ ପାଗେଳୀଟାକୁ। ହଉ ହଉ sorry sorry ଆଉ କାନ୍ଦେନି, ଦେଖ ମୁଁ ଉଠ୍ ବସ୍ ହେଉଛି। ଏବେ ତ ହସି ଦେ ମୋ ସୁନା ଭଉଣୀ ନ ହେଲେ ନୂଆ ଧଳା ରଙ୍ଗ କପଡାଟା ତୋ ନାକରୁ ବାହାରୁ ଥିବା ସେଇ ଅସନା ଜିନିଷରେ ଖରାପ ହୋଇ ଯିବ ଯେ… ହାଃ ହାଃ ହାଃ ହାଃ…. ଶୁଭି ରାଗି କି ଆଉ ସକେଇ ସକେଇ ହୋଇ ହଉ ରେ ପୁଅ ହଉ, ଆଜି ମୁଁ ଅଛି ବୋଲି ମୋତେ ଏମିତି କହୁଛୁ କାଲି ଯଦି… ବାସ୍ ଏତିକି ରେ ଅଶୋକ ଆଖିରୁ ଲୁହ ଆସିଗଲା ଆଉ ଜାବୁଡି ଧରି ଶୁଭି କୁ କହିଲା, “ଦେଖ ଏମିତି କଥା କହନା କହୁଚି, ତୋର କିଛି ହେଇଗଲେ ମୁଁ କେମିତି ବଞ୍ଚିବି ଯେ!” ଶୁଭି ହସି ହସି କହିଲା “ଦେଖ, ମୁଁ ବି ତତେ କନ୍ଦେଇ ଦେଲି ନା? ମୋତେ କନ୍ଦାଇବାର ଫଳ ପାଇଲୁ ନା? କଣ ପାଇଁ ଲୁଚି ଥିଲୁ କି?
ମୋ ସହ ଲୁଚକାଳି ଖେଳୁ ଥିଲୁ କି? ହଉ ହଉ ଶୁଣେ ତୁ ମୋତେ କନ୍ଦାଇଲୁ ମୁଁ ବି ତତେ, ତ ହିସାବ ବରାବର ହେଇଗଲା, ଏବେ ହାତ ଦେଖା ତୋ ହାତରେ ରାକ୍ଷୀ ବାନ୍ଧି ଦେବି। ବାସ୍, ଶୁଭି ଶୁଭି କହି ଚିତ୍କାର କରି ଉଠିଲା, ଅଶୋକ ଦେଖେ ତ ଆଖି ସାମ୍ନାରେ ଆଉ କିଛି ନାହିଁ ସବୁ ଅଦୃଶ୍ଯ ସବୁ ଭାବନା ପରିକଳ୍ପନା ଉଭେଇ ଯାଇଥିଲା ନିଦ ସହ। ନା ଆଖିରୁ ଆସୁଥିବା ଲୁହ ଶୁଖିଲା ନା ଅଶୋକ ବାସ୍ତବତାକୁ ସ୍ୱୀକାର କରି ପାରିଲା।
ସବୁ ବର୍ଷ ଏମିତି ଏଇ ଗୋଟେ ସ୍ୱପ୍ନ ଏଇ ରାକ୍ଷୀ ପୂର୍ଣ୍ଣିମା ଆସେ। ଆଉ ସ୍ଵପ୍ନରେ ଅଶୋକ ହାତରେ ରାକ୍ଷୀ ବାନ୍ଧି ଶୁଭି ଚାଲି ଯାଏ। ଦୀର୍ଘ 18 ବର୍ଷ ଭିତରେ କେବେ ବି ପରିବର୍ତ୍ତନ ଆସିନି କି ଆଗକୁ ବି କେବେ ଆସିବନି ବୋଧେ। ସତରେ ଭଉଣୀର ମୂଲ୍ୟ ଅମୂଲ୍ୟ ସେ ସମ୍ପର୍କ ସେ ବନ୍ଧନର ମୂଲ୍ୟ ଅମୂଲ୍ୟ? ଶୁଭି ର ଦେହାନ୍ତ 18 ବର୍ଷ ତଳେ ଏଇ ରାକ୍ଷୀ ପୂର୍ଣ୍ଣିମାରେ ହୋଇଥିଲା ସଡକ ଦୁର୍ଘଟଣାରେ। ଏମିତି ଲୁଚକାଳି ଖେଳୁ ଖେଳୁ ସବୁ ଦିନ ପାଇଁ ଅଭିମାନରେ ଶୁଭି ଲୁଚି ଯାଇଥିଲା, କିନ୍ତୁ ଭାଇ ଉପରେ କେତେ ବା ଅଭିମାନ କରି ପାରି ଥାନ୍ତା? ସେଇଥିପାଇଁ ପ୍ରତି ବର୍ଷ ସେ ଏମିତି ଭାଇର ସ୍ଵପ୍ନରେ ଆସେ ଆଉ ତାକୁ ରାକ୍ଷୀ ବାନ୍ଧି ଚାଲି ଯାଏ।
-ପ୍ରୀତମ କୁମାର ନାୟକ
Thanks for reading “ଶୁଭିର ରାକ୍ଷୀ”.
Follow us on our Instagram page to stay updated with Odisha related Knowledges and Motivational Quotes.
Recommended Reading: