କେଉଁ ବାଟ ଦେଇ ଖସିବୁ ଖସ୍ (ଓଡ଼ିଆ ଗପ)

ବାଘ ରାଜା ତୀର୍ଥରୁ ଫେରିଲା । ଦେଖିଲା ତାକୁ ଶଙ୍ଖୋଳିବା ପାଇଁ ଜଣେ ବି ପଶୁ କି ପକ୍ଷୀ ନାହାନ୍ତି। ଆସିଲା ବେଳେ ଜଙ୍ଗଲଟା ଶୁନଶାନ୍ ଲାଗୁଥିଲା । କିଏ କୁଆଡ଼େ ଗଲେ ! ! ଡାମରା କାଉ ରାବିଲା କା-କା-କା । ବାଘ ରାଜା ଡାମରାକୁ ପଚାରିଲା, ହଇରେ ଡାମରା ! ତୋର ଗୋଟେ ଗୋଡ଼ କଣ ନାହିଁ ? କ’ଣ ହେଇଚି ? ଜଙ୍ଗଲଟା ବି ଶୂନଶାନ ଲାଗୁଚି ! କୁଆଡେ ଗଲେ ମୋ ପ୍ରଜାମାନେ ? ଡାମରା କହିଲା, “ମୋ ଗୋଡ଼ କଥା ପରେ ଜାଣିବେ । ଆଗେ ପ୍ରଜାମାନଙ୍କ କଥା କହୁଚି । ହରିଣୀକୁ ବାଦ ଦେଲେ ଆଉ କୋଉ ପଶୁ ପକ୍ଷୀ ନାହାନ୍ତି ।’ ବାଘ ରାଜା ପଚାରିଲା ତୋ କଥା ମୁଁ ବୁଝି ପାରୁନିରେ…. ସଫା ସଫା କହ କ’ଣ ହେଇଛି ? ଡାମରା କହିଲା, ‘ ମନ୍ତ୍ରୀ ବିଲୁଆ ଅଧାଅଧ ପଶୁ ପକ୍ଷୀଙ୍କୁ ମାରି ଖାଇ ସାରିଲା ପରେ ବାକି କିଏ କୁଆଡ଼େ ପଳେଇଲେ । କାଳେ ସବୁକଥା ମୁଁ ଆପଣଙ୍କୁ କହିଦେବି ଏଇ ଭୟରେ ବିଲୁଆ ମତେ ମାରିବାକୁ ଚେଷ୍ଟା କଲା । ମୁଁ ସିନା ବଞ୍ଚିଗଲି ହେଲେ ମୋର ଗୋଟେ ଗୋଡ଼ ତା’ ମୁହଁ ଭିତରେ ରହିଗଲା । ତା’ପରେ ପଡ଼ିଲା ହରିଣୀର ପାଳି । ବିଲୁଆ ସାଙ୍ଗରେ ବହୁତ ଲଡ଼ିଲା । ମୁଁ ବି ଛାଡ଼ିନି । ତା’ ମୁଣ୍ଡକୁ ବହୁତ ଥର ଖୁମ୍ପିଛି । ବିଲୁଆ ଛାଡ଼ି ପକେଇଲା । ହେଲେ ବିଚାରି ହରିଣୀ ଏମିତି ଖଣ୍ଡିଆ ଖାବରା ହୋଇଛି ଯେ ଆହୁରି ଦି ଚାରି ମାସ ଲାଗିବ ତା ଘା ଶୁଝିବାକୁ ।’

ବାଘରାଜା ନଥକିନା ବସିପଡ଼ିଲା । ତା’ ଆଖ୍ ଲୁହରେ ଛଳ ଛଳ ହୋଇଗଲା । ଲୁହ ପୋଛି କହିଲା, ପ୍ରଜା ନ ଥିଲେ ମତେ ରାଜା ବୋଲି କିଏ କହିବ ? ଆରେ ଡାମରା ! ହରିଣୀ ଏବେ କୋଉଠି ରହୁଛି ? ଡାମରା କହିଲା, ତାକୁ ଏମିତି ଜାଗାରେ ଲୁଚେଇ ରଖିଚି, ବିଲୁଆ ଯେମିତି ଟେର ପାଇବନି । ଦି ଓଳି ବିଶଲ୍ୟକରଣୀ ପତ୍ର ରସ ତା’ ଘା’ରେ ଲଗେଇ ଦଉଚି । ବାଘରାଜା ପଚାରିଲା ସେ ଠକ ବିଲୁଆ ଏବେ କୋଉଠି ଥିବ ? ଡାମରା କହିଲା, ‘ହ୍ରଦ କୂଳରେ କୁମ୍ଭୀର ସାଙ୍ଗରେ ଭୋଜି କରୁଥିବ ।’ ବାଘ ରାଜା କହିଲା, ତୁ ଯାଇ ହରିଣୀ ପାଖରେ ଥା । ମୁଁ ସେ ବଦମାସଟାକୁ ଦେଖେ।

ହ୍ରଦ କୂଳରେ କୁମ୍ଭୀର ଆଉ ବିଲୁଆ ଗପୁଥିଲେ । ବିଲୁଆ କହୁଥାଏ, ବୁଝିଲୁ ସଙ୍ଗାତ, ମୁଁ କେତେ ପ୍ରକାର ମାଉଁସ ଖାଇଚି ତାର ହିସାବ ନାହିଁ । ସବୁଠୁ ବଡ଼ିଆ କଇଁଛ ମାଉଁସ । କୁମ୍ଭୀର କହିଲା ଏମିତି କହି କହିକି ହ୍ରଦରୁ ସବୁ କଇଁଛ ଖାଇଦେଲୁ । ଏବେ ତ ଜଙ୍ଗଲରେ ପଶୁପକ୍ଷୀ ନାହାନ୍ତି । ତୁ ଏ ଜଙ୍ଗଲ ଛାଡି ଆଉ କୋଉ ଜଙ୍ଗଲକୁ ଚାଲିଯିବୁ । ମୁଁ ତ କୁଆଡେ ଯାଇପାରିବିନି । ଉପରକୁ ଆସିଲେ ମୋ ପାଇଁ ବିପଦ । ମୁଁ ଏବେ କ’ଣ ଖାଇବି ? ବିଲୁଆ କହିଲା, ଭଲ କଥାଟିଏ କହିଲୁରେ ସାଙ୍ଗ । ଆଚ୍ଛା ସାଙ୍ଗ ମୁଁ ହ୍ରଦରୁ ସବୁ କଇଁଛ ଖାଇଦେଲି, ତୁ କ’ଣ ଜଙ୍ଗଲରୁ କମ ପଶୁ ପକ୍ଷୀ ଖାଇଛୁ ? ଏହି ହିସାବ ତୋ ପାଖରେ ନାହିଁ । ବାଃ…. ସେ କଥା ଛାଡ, ତୋ ପାଇଁ ମୁଁ କ’ଣ ଗୋଟେ ବ୍ୟବସ୍ଥା କରିବି । ହେ ସାଙ୍ଗ ତୁ ଆଗ କହିଲୁ – ବାଘ ମାଉଁସ କେବେ ଖାଇଛୁ ? କୁମ୍ଭୀର କହିଲା ଥରେ ଚେଷ୍ଟା କରିଥିଲି ତା’ ପଞ୍ଝା ମାଡରେ ମୋର ଗୋଟେ ଆଖି କଣା ହୋଇଗଲା । ଆଛା ସଂଗାତ ! ତୁ ଏ କଥା କାହିଁକି ପଚାରିଲୁ ? ବିଲୁଆ କହିଲା, ବାଘ ରାଜା ତୀର୍ଥରୁ ଫେରିଲେ ଏଠିକି ଆସିବ ମୋତେ ଖୋଜିବା ପାଇଁ । ଆମେ ଦି ଜଣ ଯଦି କେମିତି ତାକୁ କାରବାର କରି ଦିଅନ୍ତେ, ଗୋଟେ ବଡ଼ ଭୋଜି ହୋଇଯାଆନ୍ତା।

କୁମ୍ଭୀର କହିଲା, କେଡ଼େ ସହଜରେ କଥାଟାରେ କହିଦେଲୁ । ବିଲୁଆ କହିଲା, ବହୁତ ଭାବିଚିନ୍ତି ମୁଁ ଏ କଥାଟା କହିଚି । ଶୁଣ ବାଘରାଜା ତୀର୍ଥରୁ ଫେରି ଜାଣିବ ଆମେ ଦି ଜଣ ସବୁ ପଶୁପକ୍ଷୀଙ୍କୁ ମାରି ଖାଇଦେଇଛୁ । ସେ ମତେ ମାରିବାକୁ ଗୋଡ଼େଇବ । ମୁଁ ହ୍ରଦକୁ ଡେଇଁ ପଡିବି । ତୁ ମତେ ଆର କୂଳରେ ପହଞ୍ଚାଇ ଦେବୁ । ମୋ ପରେ ପରେ ବାଘରାଜା ଡେଇଁବ । ସେତ ପହଁରା ଶିଖିନି ପାଣିରେ ପଡିଲା ମାତ୍ରକେ ବୁଡିଯିବ ତୁ ସାଙ୍ଗେ ସାଙ୍ଗେ ତା’ ପଛ ଗୋଡ଼କୁ କାମୁଡ଼ି ଧରି ଚକା ଭଉଁରୀ ଖେଳିବୁ । ବାସ୍ ବାଘ ରାଜା ପାଣି ପି ପି ମରିଯିବ ।

ବିଲୁଆକୁ ଖୋଜି ଖୋଜି ବାଘ ରାଜା ଆସି ହ୍ରଦ କୂଳରେ ପହଞ୍ଚିଲା । କୁମ୍ଭୀରକୁ ଡାକିଲା । କୁମ୍ଭୀର ପାଣି ଭିତରେ ଥାଇ ମୁଣ୍ଡ ଟେକିଲା । ବାଘରାଜା ପଚାରିଲା, “ବିଲୁଆ କୁଆଡେ ଗଲା ?” କୁମ୍ଭୀର କହିଲା, “ମୁଁ ଜାଣିନି ମଣିମା ।’ ବାଘ କହିଲା, “ତୁ ଜାଣିନୁ ? ମୋ ପଞ୍ଝା ମାଡ଼ ମନେ ରଖୁଚୁ ନା ଭୁଲି ଯାଇଛୁ ? ତୋର ଆର ଆଖି ଫୁଟେଇ ଦେଲେ ତୋ ମୁହଁରୁ ସତକଥା ବାନ୍ତି ହୋଇ ବାହାରି ଆସିବ । ଛ ମାସ ପାଇଁ ତୀର୍ଥ ଯାଇଥିଲି । ତମେ ଦିଟା ମୋ ପ୍ରଜାମାନଙ୍କୁ ମାରି ସଫା କରିଦେଲ ! ତମ ଦିଟାକୁ ମୁଁ ଛାଡିବିନି । ପ୍ରଥମେ ମୁଁ ସେ ବିଲୁଆକୁ ମାରିବି । ତୋତେ କେମିତି ମାରିବି ସେ କଥା ଭାବି ସାରିଚି । ଦେଖିବି ତମେ ଦିଟା କୋଉ ବାଟ ଦେଇ ଖସିଯିବ । ବାଘରାଜା ଲକ୍ଷ କରି ମୁନିଆ ପଥର ଖଣ୍ଡେ ଆଗ ଗୋଡରେ ମାରିଦେଲା । ପଥର ଯାଇ କୁମାରର ଭଲ ଆଖିରେ ଗଳିଗଲା । ମୁରୁକି ହସା ଦେଇ ବାଘରାଜା କହିଲା, ଆଗକୁ ଆଉ କ’ଣ କରିବି ଖାଲି ଅପେକ୍ଷା କରିଥା ।

ବାଘରାଜା ବିଲୁଆକୁ ଖୋଜୁଥିଲା, ଏଁ ଏଇଠି ଶୋଇଛୁ ! ଦେଖିବି ତୁ ଆଜି କୁଆଡ଼େ ଖସିଯିବୁ । ବାଘକୁ ଦେଖ୍ ବିଲୁଆ କହିଲା, ‘ଇଲୋ ବୋଉଲୋ ଆଜି ମଲି । ଦୌଡିଲା ହ୍ରଦ ଆଡକୁ । ହ୍ରଦ କୂଳରେ ପହଞ୍ଚି କହିଲା, ସଙ୍ଗାତ ମତେ ବାଘ ଗୋଡେଇଚି ମାରିବା ପାଇଁ । ମୋ କଥା ମନେ ଅଛି ତ ? ମୁଁ ହ୍ରଦକୁ ଡେଇଁଲି ହ୍ରଦକୁ ଖପକିନା ଡେଇଁଲା ବିଲୁଆ । ଅନ୍ଧ କୁମ୍ଭୀର ପାଟି ଆଁ କରି ଶୋଇଥିଲା ଅଣ୍ଡାଳି ଅଣ୍ଡାଳି ଆସି ବିଲୁଆ ପେଟକୁ କାମୁଡି ଧରି ଛିଣ୍ଡେଇ ଦେଲା । ବାଘରାଜା ହ୍ରଦ କୂଳରେ ପହଞ୍ଚି ବଡ଼ ପଥର ଖଣ୍ଡେ ଠେଲି ଦେଲା । କୁମ୍ଭୀର ଆସି ପଥର ଖଣ୍ଡକୁ କାମୁଡି ଝୁଣିବାକୁ ଲାଗିଲା । ତା’ର ସବୁ ଦାନ୍ତ ଗଳି ପଡ଼ିଲା ।

ବାଘ ରାଜା ହରିଣୀକୁ କହିଲା – ତୁ କାଇଁ ମୋ ଆଗରେ ନାଚୁଛୁ ? ମୋର ତ ପ୍ରଜା ନାହାଁନ୍ତି, ମୁଁ କି ରାଜା ? ଆଜିଠୁ ତୁ । ମୋର ତୁ ମୋର ସାନ ଭଉଣୀ । ଆରେ ଡାମରା ! ତୁ କୁଆଡେ ଗଲୁ ? ମୋ ପାଖକୁ ଟିକେ ଆ…….. |

ସମାପ୍ତ

ଯଦି ଆପଣ ମାନଙ୍କୁ ଏହି Odia Gapa ଭଲ ଲାଗିଲା ତେବେ share କରନ୍ତୁ

ଆହୁରି ପଢ଼ନ୍ତୁ:

Leave a Reply

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍

Work from Home

Know about Blogging

Hindi Blog

Follow us

Subscribe କରନ୍ତୁ

%d bloggers like this: