ରାଷ୍ଟ୍ରୀୟ ଚରିତ୍ର ଓ ଦୁର୍ନୀତି (National character and corruption)

ରାଷ୍ଟ୍ରୀୟ ଚରିତ୍ର ଓ ଦୁର୍ନୀତି (National Character And Corruption) (राष्ट्रीय चरित्र और भ्रष्टाचार)

ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ସାର୍ବଭୌମତ୍ବ ଲାଭ କରି ବସବାସ କରୁଥିବା ଲୋକମାନଙ୍କୁ ନେଇ ଦେଶ‍/ରାଷ୍ଟ୍ର ଗଠିତ। ସଂପ୍ରତି ପୃବୀରେ ୧୯୨ଟି ଦେଶ ଅଛି। ଯଦି ଆମେ ରାଷ୍ଟ୍ରର ସ୍ୱରୂପକୁ ସୂକ୍ଷ୍ମ ଭାବରେ ଚିନ୍ତା କରିବା। ତେବେ ଏହାର ମୂଳ ଉତ୍ପାଦନ ଟି ହେଲା ପରିବାର। ପରିବାରରୁ ଗ୍ରାମ, ଗ୍ରାମରୁ ସହର, ସହରରୁ ସବଡ଼ିଭିଜନ୍, ସବଡ଼ିଭିଜନରୁ କିଲ୍ଲା, ଜିଲାରୁ ରାଜ୍ୟ, ରାଜ୍ୟରୁ ରାଷ୍ଟ୍ର ଗଠିତ।

ଏହି ରାଷ୍ଟ୍ର ଗଠନ ପଛରେ ସେହି ଦେଶର ଅଧିବାସୀ ମାନଙ୍କର ତାଙ୍କ ଦେଶପ୍ରତି ଅବା ଆଭିମୁଖ୍ୟ, ଦେଶପ୍ରିତି ଓ ଦେଶ ପାଇଁ ତ୍ୟାଗ ନିର୍ଭର କରେ। ଯେଉଁ ରାଷ୍ଟ୍ରର ଆବାସୀମାନେ ତାଙ୍କ ରାଷ୍ଟ୍ର ପାଇଁ କିଛି କରିବାର ପ୍ରବଳ ଇଚ୍ଛା ଶକ୍ତି ମନରେ ଜାଗ୍ରତ କରାଇଥାନ୍ତି ସେହି ରାଷ୍ଟ୍ରରେ ଅଗ୍ରଗତି ଶୀଘ୍ର ହୋଇଥାଏ ଓ ସେହି ରାଷ୍ଟ୍ରମାନେ ପୃଥିବୀର ବିତ୍ତଶାଳୀ, ବିକାଶମୁଖୀ ତଥା ପ୍ରଭାବଶାଳୀ ରାଷ୍ଟ୍ର ରୂପେ ମାନ୍ୟତା ଲାଭ କରିଥାନ୍ତି।

ଉଦାହରଣ ସ୍ଵରୁପ ଆମେରିକା, ଜାପାନ, ଚୀନ, ଫ୍ରାନ୍ସ, ଜର୍ମାନୀକୁ ନିଆଯାଇପାରେ। ଯେଉଁ ରାଷ୍ଟ୍ର ଯେତେ ଉନ୍ନତ ସେହି ରାଷ୍ଟ୍ରର ଲୋକମାନଙ୍କର ଦେଶ ପ୍ରତି ସକରାତ୍ମକ ଚିନ୍ତା ସେତିକି ପରିମାର୍ଜିତ।

ରାଷ୍ଟ୍ରୀୟ ଚରିତ୍ର କହିଲେ, ସେହି ରାଷ୍ଟ୍ରରେ ବାସ କରୁଥିବା ଅଧିବାସୀ ମାନଙ୍କର ରାଷ୍ଟ୍ର ପ୍ରତି ଥିବା ଭାବନା, ବିଚାର ଓ ଦେଶପ୍ରେମକୁ ବୁଝାଏ। ଏହି ପରିପେକ୍ଷୀରେ ଯଦି ଆମ ରାଷ୍ଟ୍ର ଭାରତର କଥାକୁ ବିଚାର କରାଯାଏ, ତେବେ ଏକ ସଚେତନ ସାଧାରଣ ନାଗରିକ ମନରେ ଦୁଃଖ ଆସେ ଏବଂ ମନଟି ବେଦନାରେ ଭରିଯାଏ।

ଏହା ବ୍ୟତୀତ ତା’ ପାଖରେ ଆଉ କିଛି କରିବାକୁ ଚାରା ନଥାଏ। ବର୍ତ୍ତମାନ ଆମ ଦେଶର ଶାସକ ଗୋଷ୍ଠୀ, ବ୍ୟବସାୟୀ ଗୋଷ୍ଠୀ ଏବଂ ଅନ୍ୟାନ୍ୟ ଗୋଷ୍ଠୀ ସମୂହ ନିଜ ନିଜ ସ୍ତରରେ କେତେ ସ୍ବଛତା ଅବଲମ୍ବନ କରନ୍ତି। ଆମେ ଊଣା ଅଧିକେ ଅବଗତ ଅଛୁ। ଆମ ଦେଶର ସବୁଠାରୁ ବଡ ଆହ୍ବାନ ରୂପେ ଦୁଇଟି କଥା ସମସ୍ତଙ୍କର ମନକୁ ଆସେ।

ପ୍ରଥମଟି ହେଲା ଦୁର୍ନୀତି ଓ ଦ୍ବିତୀୟଟି ହେଲା ବିଦେଶରେ ଗଚ୍ଛିତ କଳାଧନ। ଭାରତର ସୁପୁତ୍ର ବିଶିଷ୍ଟ ଗାନ୍ଧିବାଦୀ ନେତା, ସମାଜ ସେବୀ ଆନାହଜାରେଙ୍କ ଦୁର୍ନୀତି ବିରୁଦ୍ଧରେ ସଶକ୍ତ ଲୋକପାଳ ବିଲ ଆଗତ ପାଇଁ ଚାଲିଥିବା ପ୍ରାଣମୂର୍ଚ୍ଚା ଉଦ୍ୟମ, ସତ୍ୟାଗ୍ରହ ଭାରତ ବର୍ଷର ସମସ୍ତ ନାଗରିକ ମନରେ ଗୋଟିଏ ପ୍ରଶ୍ନ ଦୋହରାଉଛି।

ଆନ୍ନା ହଜାରେଙ୍କ ସଶକ୍ତ ଲୋକପାଳ ବିଲ୍ ସଂସଦରେ ଗୃହିତ ହେବ ତ ? ଏହା ଭବିଷ୍ୟତ ହିଁ କହିବ। ଭାରତ ବର୍ଷରେ ଥିବା ସମସ୍ତ ଘରୋଇ ଓ ସରକାରୀ ସଂସ୍ଥା ଊଣା ଅଧିକେ ଦୁର୍ନୀତିଗ୍ରସ୍ତ।

ଆସନ୍ତୁ ବର୍ତ୍ତମାନ ଚିନ୍ତା କରିବା ଜଣେ ବ୍ୟକ୍ତିର ମନରେ ଦୁର୍ନୀତି କରିବାକୁ ଇଚ୍ଛା ପ୍ରକଟ କାହିଁକି ହୁଏ? ମନୁଷ୍ୟ ଆଜି ମାୟାରେ ମୋହରେ ଅନ୍ଧ। ସେ ଜାଣିଥାଏ ଦିନେ ନା ଦିନେ ତା’ର ମୃତ୍ୟୁ ହେବ, ମୃତ୍ୟୁ ପରେ ତା’ର ଅର୍ଜିତ ସମ୍ପତ୍ତି ତା’ର ଜ୍ଞାତି କୁଟୁମ୍ବ ଉପଭୋଗ କରିବେ। ସେମାନଙ୍କୁ ଆଉ ବେଶୀ ପରିଶ୍ରମ କରିବାକୁ ପଡିବ ନାହିଁ, ସେମାନେ ସୁଖରେ ରହିବେ, କମ୍ ପରିଶ୍ରମ ଦ୍ଵାରା ଅଧିକ ଆୟ କରିପାରିବେ।

ଏହି ଦୁର୍ବଳ ମାନସିକତା ହିଁ ତାକୁ ଦୁର୍ନୀତି କରିବାକୁ ବାଧ୍ୟ କରେ। ଯଦିଓ ସେ ଜାଣିଥାଏ ସେ ଯାହା କରୁଛି ତାହା ଠିକ୍ ନୁହେଁ। ତଥାପି ମନରେ ସୃଷ୍ଟି  ହୋଇଥିବା ଲୋଭ ରୂପି ରାକ୍ଷାସ ପ୍ରବୃଭି ଦୁର୍ନୀତି କରିବାକୁ ବାଧ୍ୟ କରେ।

ବର୍ତ୍ତମାନ ଦୁର୍ନୀତି ଏକ ମହାଦ୍ରୁମ, ଏହାର ମୂଳୋତ୍ପାଟନ ଏକ ଦୁରୁହ ବ୍ୟାପାର। ସମସ୍ତ ନାଗରିକ ଏହା ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଏହି ପରିସ୍ଥିତିରେ ପରିବାରର ଭୂମିକା ଗୁରୁତ୍ବପୂର୍ଣ। ପରିବାରର ମୁଖିଆ ହେଲେ ପିତାମାତା।

ପ୍ରତ୍ୟେକ ପିତାମାତା ଚାହାଁନ୍ତି ମୋ ପୁଅ ବା ଝିଅ ଭଲ ପାଠ ପଢୁ, ଭଲ ଚାକିରୀଟିଏ କରୁ, ବେଶି ରୋଜଗାର କରୁ, ବେଶି ସମ୍ପତ୍ତିର ଅଧ୍ୟକାରୀ ହେଉ। ଏହା ପ୍ରତ୍ୟେକ ପିତାମାତାଙ୍କର ଚିନ୍ତାଧାରା।

ଏହି ଚିନ୍ତାଧାରା ସହ ଯଦି ନିଜ ପୁଅ ଓ ଝିଅକୁ ଶିକ୍ଷା ଦିଅନ୍ତେ କଠିନ ପରିଶ୍ରମ କର, ପରିଶ୍ରମ ଦ୍ଵାରା ଯାହା ଆୟ କଲ ତାହାର ସଦ୍ ବିନିଯୋଗ କର। ଦେଶପ୍ରତି ସମାଜ ପ୍ରତି ଥିବା ତୁମର ଦାୟିତ୍ଵ କର, କମ୍ ପରିଶ୍ରମରେ ଅଧିକ ଉପାର୍ଜନ ଠାରୁ ଦୂରେଇ ରହିବାର ଶିକ୍ଷା ତଥା ସର୍ବୋପରି ରାଷ୍ଟ୍ରପ୍ରତି ସମର୍ପିତ ଭାବନା ଜାଗ୍ରତ କରାଇଲେ ହୁଏତ ଆମ ଦେଶ ଦୁର୍ନୀତି ମୁକ୍ତ ହୋଇପାରିବ ଏଥିରେ ସନ୍ଦେହ ନାହିଁ।

ଏହା ଗୋଟିଏ ଦିନରେ ହେବା ଅସମ୍ଭବ, ନିରବିଛିନ୍ନ ପ୍ରୟାସ ଦ୍ଵାରା ହିଁ ସମ୍ଭବ। ଆମର ଶାସ୍ତ୍ର କହେ ଜୀବନରେ ଚାରିଧର୍ମ ପାଳନ କଲେ ନିଜର ତଥା ଦେଶର ମଙ୍ଗଳ ହୋଇଥାଏ। ତାହା ହେଲା ଧର୍ମ, ଅର୍ଥ, କାମ, ମୋକ୍ଷ।

କ୍ଵଚିତ ଲୋକ ଏହାକୁ ପାଳନ କରନ୍ତି କିନ୍ତୁ ଅଧିକାଂଶ ଲୋକ ଅର୍ଥ ଓ କାମ ପଛରେ ଧାବମାନ ହେଲାବେଳେ ଧର୍ମ ଓ ମୋକ୍ଷକୁ ଗୁରୁତ୍ୱ ଦିଅନ୍ତି ନାହିଁ। ଯାହାଫଳରେ ସେ, ସୁଖମୟ ସଫଳ ଜୀବନ ନିର୍ବାହ କରିବାରେ ବିଫଳ ହୋଇଥାନ୍ତି।

ଭାରତବର୍ଷରେ ଏପରି ଜ୍ଞାନର ଅଧିକାରୀ ନିଜ ଜ୍ଞାନାଲୋକରେ ସମଗ୍ର ପୃଥିବୀକୁ ଆଲୋକିତ କରିବାର କ୍ଷମତା ରଖିଥିବା ସ୍ଵାମୀ ବିବେକାନନ୍ଦଙ୍କୁ କିଏ ବା ନ ଜାଣେ। ଯିଏ କି ଉପରୋକ୍ତ ଚାରିଧର୍ମକୁ ହିଁ ତାଙ୍କ ପ୍ରଚାର ପ୍ରସାରର ମୂଳ ଉଦ୍ଦେଶ୍ୟ ରୂପେ ନେଇଥିଲେ।

ରାଷ୍ଟ୍ରୀୟ ଚରିତ୍ରର ନିର୍ମାଣ ଭାରତୀୟ ଶିକ୍ଷା ପଦ୍ଧତିରେ ଏକ ଅଂଗ ରୂପେ ଗ୍ରହଣ କରିବା ଉଚିତ୍ ଏବଂ ଏହି ଶିକ୍ଷାକୁ ସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନିରବିଛିନ୍ନ ଭାବେ ଶିକ୍ଷା ଦେବା ଉଚିତ। ଏସବୁ କଥା କହିବା ମହାନ କରିବା ବହୁତ କଷ୍ଟ। ଏହା ମଧ୍ୟ ସତ୍ୟ ଯେ ବିନା ତ୍ୟାଗରେ କୌଣସି କାର୍ଯ୍ୟ ସଫଳ ହୋଇନଥାଏ।

ତେଣୁ ଆସନ୍ତୁ ଏକ ଦୁର୍ନୀତି ମୁକ୍ତ ଭାରତ ଗଠନ କରିବାରେ ଆମେ ସମସ୍ତେ ଏକ ହୋଇ ଆମର ମନରେ ରାଷ୍ଟ୍ର ପ୍ରତି ଥିବା ଭାବନାକୁ ଜାଗ୍ରତ କରି ଆମ ସ୍ତରରେ ଥିବା ଛୋଟିଆ ଛୋଟିଆ ଦୁର୍ନୀତିକୁ ପ୍ରଶୟ ନଦେଇ ଆମ ଦେଶକୁ ପୃଥିବୀରେ ସର୍ବଶକ୍ତିମାନ ରାଷ୍ଟ୍ର ରୂପେ ଛିଡା କରାଇବା ଏହା ଆମ ସମସ୍ତଙ୍କର ଲକ୍ଷ୍ୟ ହେଉ।

ସମାପ୍ତ

Thanks for reading ରାଷ୍ଟ୍ରୀୟ ଚରିତ୍ର ଓ ଦୁର୍ନୀତି (National Character And Corruption).

Share it with your friends. Follow our Instagram Page to stay updated.

Recommended Articles:

Leave a Reply

ଗୁରୁତ୍ୱପୂର୍ଣ୍ଣ ଲିଙ୍କ୍

Work from Home

Know about Blogging

Hindi Blog

Follow us

Subscribe କରନ୍ତୁ

%d bloggers like this: